Sunday, February 23, 2025
Home Latest ଆରମ୍ଭରୁ ଅଚଳ: ସମ୍ବିଧାନ ପ୍ରତି ଅସମ୍ମାନ ଅଭିଯୋଗ କଲା ବିଜେଡି

ଆରମ୍ଭରୁ ଅଚଳ: ସମ୍ବିଧାନ ପ୍ରତି ଅସମ୍ମାନ ଅଭିଯୋଗ କଲା ବିଜେଡି

by
0 comment

ଭୁବନେଶ୍ବର: ବିଜେଡି ଦାବି କଲା, ସମ୍ବିଧାନକୁ ଅସମ୍ମାନ ଚଳିବ ନାହିଁ। ବିଧାନସଭା ପରିସରରେ ସମ୍ବିଧାନର ଠିକ୍ ମୁଖବନ୍ଧ ସ୍ଥାନ ପାଉ। କଂଗ୍ରେସ ଦାବି କଲା, ଆମ୍ବଟାକୁଆ ଜାଉ ଖାଇବା ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ। ଆଦାନୀ ପ୍ରତି ଅନୁକମ୍ପା ଚଳିବ ନାହିଁ। ବିରୋଧୀ ଦଳଙ୍କ ଏହି ଦାବିରେ ଆଜି ଅଟକିଗଲା ବିଧାନସଭା ଗୃହ। ହୋହଲ୍ଲାରେ କମ୍ପିଲା। ପୂରା ଦିନତମାମ ଅଚଳାବସ୍ଥା ସୃଷ୍ଟି ହେଲା। ପ୍ରଶ୍ନକାଳ, ମୁଲତବୀ ଆଲୋଚନା କିଛି ହୋଇପାରିଲା ନାହିଁ। ଆଜିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେମାନେ ହେଲେ ସମୀର ଦେ, ଧନେଶ୍ବର ମାଝୀ, ମକରଧ୍ବଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉତ୍କଳ କେଶରୀ ପରିଡ଼ା ଓ ପୂର୍ଣ୍ଣଚନ୍ଦ୍ର ମାଝୀ। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ସିପିଆଇ(ଏମ୍) ସଭ୍ୟ ଲକ୍ଷ୍ମଣ ମୁଣ୍ଡା ଶୋକ ଆଲୋଚନାରେ ଭାଗ ନେଇ ସ୍ମୃତିଚାରଣ କରିଥିଲେ। ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶ୍ରଦ୍ଧାଞ୍ଜଳି ଜଣାଇଲା ପରେ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହା ପରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ପଞ୍ଚାୟତିରାଜ ବିଭାଗ ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତର ଦେବାକୁ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଡାକିଲେ। ଏହି ସମୟରେ ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କିଛି କହିବା ପାଇଁ ଠିଆ ହେଲେ। କିନ୍ତୁ ବାଚସ୍ପତି ସେମାନଙ୍କୁ ସୁଯୋଗ ଦେଇ ନଥିଲେ। କଂଗ୍ରେସ ସଭ୍ୟମାନେ ପ୍ଲାକାର୍ଡ ଦେଖାଇ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଆମ୍ବଟାକୁଆ ଜାଉ ଖାଇବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ଗରିବଙ୍କୁ ସରକାର ଚାଉଳ ଯୋଗାଇବାରେ ଅସମର୍ଥ ହେଲେ ବୋଲି ଅଭିଯୋଗ କରିଥିଲେ। ଗନ୍ଧମାର୍ଦ୍ଦନ ପର୍ବତ ଆଦାନୀକୁ ଦିଆଯାଇପାରିବ ନାହିଁ ବୋଲି ନାରାବାଜି କରିଥିଲେ। ସଙ୍ଗେ ସଙ୍ଗେ ବିଜେଡି ସଭ୍ୟମାନେ ମଧ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସମ୍ବିଧାନକୁ ଅସମ୍ମାନ ଚଳିବ ନାହିଁ ବୋଲି ସ୍ଲୋଗାନ୍ ଦେଇଥିଲେ। ଗୃହରେ ଏପରି ହୋହଲ୍ଲା ଜାରି ରହିବାରୁ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଥିଲେ।

ସମ୍ବିଧାନ ପ୍ରତି ଅସମ୍ମାନ ଅଭିଯୋଗ କଲା ବିଜେଡି
ଆମ୍ବଟାକୁଆ, ଆଦାନୀ ପ୍ରସଙ୍ଗ ଉଠାଇଲା କଂଗ୍ରେସ

ଘଣ୍ଟାଏ ପରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଆଜି ଆମେ ସମ୍ବିଧାନ ଦିବସ ପାଳନ କରୁଛୁ। ସମ୍ବିଧାନ ଆମର ରକ୍ଷା କବଚ। ୧୯୭୬ ମସିହାରେ ୪୨ତମ ସଂଶୋଧନରେ ସମ୍ବିଧାନର ମୁଖବନ୍ଧରେ ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ଯୋଡ଼ାଯାଇଥିଲା। ଏହି ଦୁଇଟି ଶବ୍ଦକୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ମାମଲାକୁ ଗତକାଲି ଖାରଜ କରିଦିଆଯାଇଛି। କିନ୍ତୁ ବିଧାନସଭା ଫାଟକ ନିକଟରେ ଯେଉଁ ସମ୍ବିଧାନର ମୁଖବନ୍ଧ ରଖାଯାଇଛି ସେଥିରେ ଏହି ଦୁଇଟି ଶବ୍ଦ ନାହିଁ। ଏହା ଆଦୌ ଗ୍ରହଣୀୟ ନୁହେଁ। ଏପରି ମାନସିକତା କ’ଣ ପାଇଁ? ମୁଖବନ୍ଧ ହେଉଛି ସମ୍ବିଧାନର ଆତ୍ମା। ଏହା ସମସ୍ତେ ମନେ ରଖିବା ଉଚିତ। 

ବିଜେପି ସଭ୍ୟ ଈରାଶିଷ ଆଚାର୍ଯ୍ୟ କହିଲେ, ବିରୋଧୀ ଦଳ କ’ଣ କହିବାକୁ ଚାହୁଛନ୍ତି ତାହା ବୁଝାପଡ଼ୁନି। ଆମେ ତ ସ୍ବୀକାର କରୁଛୁ ମୁଖବନ୍ଧ ହେଉଛି ସମ୍ବିଧାନର ଆତ୍ମା। ସମ୍ବିଧାନର ବାରମ୍ବାର ସଂଶୋଧନ ହେଉଛି। କିନ୍ତୁ ବିଧାନସଭାରେ ମୂଳ ବହି ଅଛି। ଯେତେ ଥର କ’ଣ ସଂଶୋଧନ ହେବ, ସେତେ ଥର କ’ଣ ପୁସ୍ତକ ପରିବର୍ତ୍ତନ କରାଯାଇପାରିବ କି? ଆମେ ତ ମୁଖବନ୍ଧରୁ ସମାଜବାଦ ଓ ଧର୍ମନିରପେକ୍ଷ ଶବ୍ଦ ହଟାଇବାକୁ କହୁ ନାହୁଁ। କିନ୍ତୁ ମୂଳ ସମ୍ବିଧାନ ସଭା ଯେଉଁ ମୁଖବନ୍ଧ ପ୍ରସ୍ତୁତ କରିଥିଲା, ଏଠାରେ ତାହା ରଖାଯାଇଛି। ଏଥିରେ ଅସୁବିଧା କେଉଁଠି ରହିଲା? 

ବିଜେଡି ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କଲେ। ସଂଶୋଧିତ ମୁଖବନ୍ଧ ସ୍ଥାନ ପାଇବା ଆବଶ୍ୟକ ବୋଲି ଦାବି କଲେ। ଗୃହରେ ହୋହଲ୍ଲା ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ। ୪ଟା ବେଳେ ଗୃହରେ ପୁଣି ବିଜେଡି ସଦସ୍ୟମାନେ ଠିଆ ହୋଇ ପ୍ରତିବାଦ ଜାରି ରଖିଲେ। ବିଜେଡି ବିଧାୟକ ଅରୁଣ ସାହୁ ସମ୍ବିଧାନ ଉପରେ ମନ୍ତବ୍ୟ ଦେଉଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କଲେ। ଏହା ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଲେ। 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od