Saturday, November 30, 2024
Saturday, November 30, 2024
Home କେନ୍ଦୁଝର ପାରିବାରିକ ବିବାଦର କରୁଣ ପରିଣତି: ଡମ୍ପର୍‌ ଚଢ଼ାଇ ୨ ସମ୍ପର୍କୀୟଙ୍କୁ ହତ୍ୟା

ପାରିବାରିକ ବିବାଦର କରୁଣ ପରିଣତି: ଡମ୍ପର୍‌ ଚଢ଼ାଇ ୨ ସମ୍ପର୍କୀୟଙ୍କୁ ହତ୍ୟା

by
0 comment

ଆନନ୍ଦପୁର/ଘସିପୁରା: ଦୁଇ ପରିବାର ମଧ୍ୟରେ ବିବାଦ ଯୋଗୁଁ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବଳରାମପୁର ପଞ୍ଚାୟତ ନଦୁଆଁ ଗାଁରେ ବଡ଼ବାପା ଓ ସମ୍ପର୍କୀୟ ଖୁଡ଼ୀଙ୍କୁ ଡମ୍ପର୍‌ ଚଢ଼ାଇ ହତ୍ୟା କରିଛି ପୁତୁରା। ମୃତକମାନେ ହେଲେ ସେହି ଗାଁର ପାଣୁ ପୃଷ୍ଟି (୭୦) ଓ ସଞ୍ଜୁଲତା ପଲେଇ (୪୦)। ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତ ପୁତୁରା ଭଞ୍ଜକିଶୋର ପୃଷ୍ଟିକୁ ଗ୍ରାମବାସୀ କାବୁ କରି ପୁଲିସ ଜିମା ଦେଇଛନ୍ତି।

ପାଣୁ ଓ ଅଭିଯୁକ୍ତ ଭଞ୍ଜକିଶୋର (୪୮)ଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏହାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ଅପରାହ୍‌ଣ ପ୍ରାୟ ୨ଟାବେଳେ ଭଞ୍ଜକିଶୋର ନିଶାସକ୍ତ ଅବସ୍ଥାରେ ଆସି ସମସ୍ତଙ୍କୁ ଗାଡ଼ି ଚଢ଼ାଇ ମାରିଦେବ ବୋଲି ଧମକ ଦେଇଥିଲା। ପରେ ଏକ ଡମ୍ପରକୁ ଷ୍ଟାର୍ଟ କରି ବଡ଼ବାପା ପାଣୁଙ୍କ ଘର ଆଡ଼କୁ ମାଡ଼ିଆସିବା ସହ ତାଙ୍କ ଚାଳଘରକୁ ଧକ୍କା ଦେଇଥିଲା। ଏହି ସମୟରେ ପାଣୁ ଗାଡ଼ି ଚକ ତଳେ ପଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ନିକଟରେ ଥିବା ସମ୍ପର୍କୀୟ ଖୁଡ଼ୀ ତଥା କୁଳମଣି ପଲେଇଙ୍କ ପତ୍ନୀ ସଞ୍ଜୁଲତା ପାଣୁଙ୍କ ପାଖକୁ ଧାଇଁ ଆସିଥିଲେ। ନୃଶଂସ ଭଞ୍ଜକିଶୋର ତାଙ୍କ ଉପରେ ମଧ୍ୟ ଗାଡ଼ି ଚଢ଼ାଇ ‌ଦେଇଥିଲା। ଫଳରେ ସେ ମଧ୍ୟ ଛଟପଟ ହୋଇ ସେଠାରେ ଆଖି ବୁଜିଥିଲେ।

ନଦୁଆଁରେ ତୀବ୍ର ଉତ୍ତେଜନା, ଅଭିଯୁକ୍ତ ଅଟକ

ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଏହି ଘଟଣାରେ ଗାଁ ଲୋକେ ହତବାକ ହୋଇ ଯାଇଥିଲେ। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହେବା ଦେଖି ତାତି ଉଠିଥିଲେ। ସମସ୍ତେ ମିଶି ଭଞ୍ଜକିଶୋରକୁ କାବୁ କରି ଅଟକ ରଖିଥିଲେ। ଘସିପୁରା ଥାନା ଅଧିକାରୀ ରମାକାନ୍ତ ସାଇ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଅଭିଯୁକ୍ତ ଭଞ୍ଜକିଶୋରକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ସଞ୍ଜୁଲତାଙ୍କ ସ୍ବାମୀ କୁଳମଣି ଏ ସଂକ୍ରାନ୍ତରେ ଘସିପୁରା ଥାନାରେ ଏତଲା ଦେଇଛନ୍ତି। ଆସନ୍ତାକାଲି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରାଯିବ ‌ବୋଲି ଜଣାପଡ଼ିଛି। ହତ୍ୟାରେ ବ୍ୟବହୃତ ହୋଇଥିବା ଗାଡ଼ିର ନମ୍ବର (ଓଆର୍‌୧୪ଆର୍‌-୧୨୮୭) ବୋଲି ଅଭିଯୋଗକାରୀ କୁଳମଣି ପଲେଇ ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ଡମ୍ପରର ନମ୍ବର (ଓଆର୍‌୧୬ସି-୯୮୫୦) ବୋଲି ନଦୁଆଁ ଗ୍ରାମର ଆଇନଜୀବୀ ତଥା ପ୍ରତ୍ୟକ୍ଷଦର୍ଶୀ ରମେଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ରାଜନୈତିକ ଚାପରେ ଏତଲାରେ ଗାଡ଼ିର ନମ୍ବର ଭୁଲ ଦିଆଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od