ଗୁରୁଡିଝାଟିଆ: ତେଜରାତି ଦୋକାନ ଆଳରେ ଖୁଲମଖୁଲା ବିକ୍ରି ହେଉଥିଲା ବିଦେଶୀମଦ। ସନ୍ଧ୍ୟା ହେଲେ ସ୍ଥାନୀୟ ଯୁବକମାନେ ବିଦେଶୀମଦ ପିଇ ମାତାଲ ହେଉଥିଲେ । ଜେଜରାତି ଦୋକାନ ଅପେକ୍ଷା ଚୋରାମଦରେ ଭଲ ଦୁଇପଇସା ପକେଟକୁ ଆସୁଥିବାରୁ ମନଟା ଲାଗିଥିଲା ଚୋରା ବିଦେଶୀ ମଦ ବେପାରରେ । ହେଲେ ପୁଲିସ ଆଖିରେ ଛପି ପାରି ନ ଥିଲା । ଗତକାଲି ଅତର୍କିତ ଭାବେ ଖୁଣ୍ଟୁଣୀ ପୁଲିସ ବ୍ରହ୍ମପୁର ଗ୍ରାମର ସତ୍ୟଜିତ୍ ସାହୁଙ୍କ ତେଜରାତି ଦୋକାନରେ ଚଢାଉ କରି ୧୮୮ ବୋତଲ ବିଦେଶୀମଦ, ଏକ ଟାଟା ଏସିଇ ଗାଡି ଜବତ କରିବା ସହିତ ଅଭିଯୁକ୍ତ ସତ୍ୟଜିତକୁ ଗିରଫ କରିଛି।
ଉଲ୍ଲେଖଯୋଗ୍ୟ ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରବିନାରାୟଣ ବେହେରା, ଉପନିରୀକ୍ଷକ ଡଃ ବିକାଶ କୁମାର ସେଠୀ ଓ ପୁଲିସ ଫୋର୍ସ ରାତି ପ୍ରାୟ ସାଢେ ୧୦ଟାରେ ତେଜରାଜି ଦୋକାନ ଉପରେ ଚଢାଉ କରିଥିଲେ । ସେଠାରୁ କିଛି ମଦ ଜବତ କରିବା ପରେ ଏକ ଟାଟା ଏସିଇ ଗାଡିରେ ରଖିଥିବା ଚୋରା ମଦ ମଧ୍ୟ ଠାବ କରି ଜବତ କରିଥିଲେ।