ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରର ଆଲୁରୀ ଜିଲା ଜଳତରଙ୍ଗିନୀ ଜଳପ୍ରପାତରେ ୨ ଡାକ୍ତରୀ ଛାତ୍ରୀ ଭାସିଯାଇ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଛାତ୍ରୀ ନିଖୋଜ ଅଛନ୍ତି। ମାଲକାନଗିରି ଜିଲା ମୋଟୁଠାରୁ ୪୦ କିମି ଦୂରରେ ଜଳତରଙ୍ଗିନୀ ଝରଣା ରହିଛି। ସେଠାକୁ ଏଲୁର ମେଡିକାଲ କଲେଜର ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ବୁଲିବାକୁ ଯାଇଥିଲେ। ଜଳପ୍ରପାତ ନିକଟରେ ସମସ୍ତେ ବସି ମଜା ନେଉଥିଲାବେଳେ ହଠାତ ପ୍ରଖର ବେଗରେ ପାଣି ମାଡ଼ି ଆସିଥିଲା। ସ୍ରୋତରେ ୪ ଛାତ୍ରୀ ଓ ଜଣେ ଛାତ୍ର ଭାସି ଯାଇଥିଲେ। ତୁରନ୍ତ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ
ଅନ୍ୟମାନେ ଉଦ୍ଧାର କରିବାରେ ସଫଳ ହୋଇଥିଲାବେଳେ ଅନ୍ୟ ୩ ଛାତ୍ରୀ ଭାସି ଯାଇଥିଲେ। ଉଦ୍ଧାର ୨ଜଣଙ୍କୁ ଆନ୍ଧ୍ରର ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପରେ ପାଣିରେ ଭାସି ଯାଇଥିବା ୩ ଜଣଙ୍କ ମଧ୍ୟରୁ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ଥିବା ଅନ୍ୟ ଜଣେ ଛାତ୍ରୀଙ୍କୁ ଖୋଜା ଚାଲିଛି।