Sunday, February 23, 2025
Home ଅପରାଧ ଏମ୍‌ଭିଆଇଙ୍କୁ ରାସ୍ତାରେ ମାଡ଼ିବସିଲା ଭିଜିଲାନ୍‌ସ: ଗାଡ଼ିରୁ ୧ଲକ୍ଷ ୩୨ହଜାର ଜବତ

ଏମ୍‌ଭିଆଇଙ୍କୁ ରାସ୍ତାରେ ମାଡ଼ିବସିଲା ଭିଜିଲାନ୍‌ସ: ଗାଡ଼ିରୁ ୧ଲକ୍ଷ ୩୨ହଜାର ଜବତ

by
0 comment

ଭୁବନେଶ୍ବର: ରାଜ୍ୟରେ ଭିଜିଲାନ୍‌ସ ଧରପଗଡ଼କୁ ନେଇ ସରଗରମ ଚର୍ଚ୍ଚା ଚାଲିଥିବା ବେଳେ ଆଜି ପୁଣି ଏକ ମାମଲା ସାମ୍ନାକୁ ଆସିଛି। ରାସ୍ତାରେ ବେଆଇନ ଭାବେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକୁ ମାଡ଼ି ବସୁଥିବା ଏମ୍‌ଭିଆଇଙ୍କୁ ଆଜି ଭିଜିଲାନ୍‌ସ ଟିମ୍‌ ଅନୁରୂପ ଢଙ୍ଗରେ ମାଡ଼ିବସିଛି। ଅତର୍କିତ ଚଢ଼ଉରେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି ନୂଆପଡ଼ା ଏମ୍‌ଭିଆଇ ବିଜୟ କୁମାର ବେହୁରିଆ। ଆଜି ସେ ନୂଆପଡ଼ାରୁ ଭୁବନେଶ୍ବର ଶୈଳଶ୍ରୀବିହାରସ୍ଥିତ ଘରକୁ ଆସୁଥିବାବେଳେ ବାଟରେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ମାଡ଼ିବସିଛି। ଘରୋଇ ଗାଡ଼ିରେ ଆସୁଥିବା ଶ୍ରୀ ବେହୁରିଆଙ୍କଠାରୁ ୧ଲକ୍ଷ ୩୨ ହଜାର ଟଙ୍କା ଜବତ କରାଯାଇଛି। ତାଙ୍କୁ ଭିଜିଲାନ୍‌ସ କାର୍ଯ୍ୟାଳୟରେ ଅଟକ ରଖାଯାଇଛି ଏବଂ ଜବତ ଟଙ୍କାକୁ ନେଇ ଖୋଳତାଡ଼ ଚାଲିଛି। ସେହିଭଳି ସେ ଆୟ ବହୁର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ଆଧାରରେ ଆଜି ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି। ଶୈଳଶ୍ରୀବିହାରସ୍ଥିତ ଏକ ଫ୍ଲାଟ୍‌ ଓ ନୂଆପଡ଼ା କାର୍ଯ୍ୟାଳୟ ସମେତ ୫ଟି ଜାଗାରେ ଭିଜିଲାନ୍‌ସ ଟିମ୍‌ ଚଢ଼ଉ ଚଳାଇଛି। 

ଏମ୍‌ଭିଆଇ ଶ୍ରୀ ବେହୁରିଆଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପୂର୍ବରୁ ଭିଜିଲାନ୍‌ସରେ ଅଭିଯୋଗ ହୋଇଥିଲା। ତେଣୁ ଚଢ଼ଉ ପାଇଁ ଭିଜିଲାନ୍‌ସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। କିନ୍ତୁ ଆଜି ହଠାତ୍ ଭିଜିଲାନ୍‌ସକୁ  ଖବର ମିଳିଥିଲା କି ଶ୍ରୀ ବେହୁରିଆ ବିପୁଳ ଅର୍ଥ ନେଇ ଏକ ଘରୋଇ ଟାକ୍ସିରେ ନୂଆପଡ଼ାରୁ ଭୁବନେଶ୍ବର ଯାଉଛନ୍ତି। ଖବର ପାଇ ଭିଜିଲାନ୍‌ସର ଏକ ଟିମ୍‌ ଖୋର୍ଦ୍ଧାରେ ଛକି ରହିଥିଲା। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକରେ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରୁ ୧ଲକ୍ଷ ୩୨ ହଜାର ଟଙ୍କା ମିଳିଥିଲା। ଏତେ ପରିମାଣର ଟଙ୍କା ତାଙ୍କ ପାଖକୁ କେମିତି କେଉଁ ଉତ୍ସରୁ ଆସିବା ବୋଲି ଭିଜିଲାନ୍‌ସ ଅଧିକାରୀମାନେ ପଚାରିଥିଲେ। କିନ୍ତୁ ଶ୍ରୀ ବେହୁରିଆ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ସେଠାରୁ ତାଙ୍କୁ ସିଧାସଳଖ ଭିଜିଲାନ୍‌ସ କାର୍ଯ୍ୟାଳୟକୁ ନିଆଯାଇଥିଲା। 

ଭିଜିଲାନ୍‌ସ ପକ୍ଷରୁ ବିଶେଷ ସୂଚନା ଦିଆଯାଇ ନଥିଲେ ହେଁ ଶ୍ରୀ ବେହୁରିଆ ଏହି ଟଙ୍କା ଲାଞ୍ଚ ଆକାରରେ ପାଇଥିବା ଅନୁମାନ କରାଯାଉଛି। ଗଣେଶ ପୂଜା ସାଙ୍ଗକୁ ନୂଆଁଖାଇ ଛୁଟି ଥିବାରୁ ଲାଞ୍ଚ ଟଙ୍କାତକ ନେଇ ସେ ଘରକୁ ଫେରୁଥିଲେ। ଭିଜିଲାନ୍‌ସକୁ ଚକ୍‌ମା ଦେବାକୁ ସେ ଏକ ଘରୋଇ ଗାଡ଼ିରେ ଆସୁଥିଲେ। ମାତ୍ର ତାଙ୍କ ଯୋଜନା ଭଣ୍ଡୁର ହୋଇଯାଇଥିଲା। କିନ୍ତୁ ଏନେଇ ଶ୍ରୀ ବେହୁରିଆ ଭିନ୍ନ କଥା କହିଛନ୍ତି। ଟଙ୍କାତକ ତାଙ୍କର ନିଜର ବୋଲି ସେ ଦାବି କରିଛନ୍ତି। ୧୫ ବର୍ଷ ଭାରତୀୟ ସେନାରେ ଚାକିରି କରି ଅବସର ନେବା ପରେ ସେ ଏମ୍‌ଭିଆଇ ଭାବେ ନୂଆ ଚାକିରି କରିଥିଲେ। ଆର୍ମି ଯବାନ ହୋଇଥିବାରୁ ସେ ବେଶ୍‌ ଶୃଙ୍ଖଳିତ। ତେଣୁ ତାଙ୍କୁ ଫସାଇ ଦିଆଯାଇଛି ବୋଲି ସେ ସଫେଇ ଦେଇଛନ୍ତି।

ବାଟରୁ ବାନ୍ଧିଲା ଭିଜିଲାନ୍‌ସ

ନୂଆପଡ଼ା ଏମ୍‌ଭିଆଇଙ୍କ ଭଳି ପୂର୍ବରୁ ମଧ୍ୟ କିଛି ଅଧିକାରୀ ଭିଜିଲାନ୍‌ସ ଟିମ୍‌ ଦ୍ବାରା ରାସ୍ତାରୁ ଗିରଫ ହୋଇଥିଲେ। ୨୦୨୨ ମେ ୧୫ରେ ରାୟଗଡ଼ାରୁ ଭୁବନେଶ୍ବର ଫେରୁଥିବା ବେଳେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ଭିଜିଲାନ୍‌ସ ଟିମ୍‌ ପଞ୍ଝାରେ ପଡ଼ିଥିଲେ। ଖୋର୍ଦ୍ଧା ନିକଟରୁ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ସେହିଭଳି ୨୦୨୪ ଅଗଷ୍ଟ୧ରେ ଗୋଲମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ବାଟରୁ ବାନ୍ଧିଥିଲା ଭିଜିଲାନ୍‌ସ ଟିମ୍‌। କଳାହାଣ୍ଡି ଭବାନୀପାଟଣାରୁ କାର୍‌ ଯୋଗେ ସେ ଜୁନାଗଡ଼ ଯାଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଜାରିଙ୍ଗଠାରେ ମାଡ଼ିବସିଥିଲା। ତାଙ୍କ ସରକାରୀ ଗାଡ଼ିରୁ ୫ଲକ୍ଷ ଟଙ୍କା ଜବତ କରାଯାଇଥିଲା। 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od