ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ତୃତୀୟ ଥର ପାଇଁ ସରକାର ଗଠନ ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ସମେତ ୭୨ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ତେବେ ଏହି ଶପଥ ଗ୍ରହଣ ପରେ କେରଳରୁ ଜିତିଥିବା ଏକମାତ୍ର ବିଜେପି ସାଂସଦ ସୁରେଶ ଗୋପୀ ମନ୍ତ୍ରିପଦ ଛାଡ଼ିବା ନେଇ ଆଜି ବିଭିନ୍ନ ସାମଜିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏହି ଖବରକୁ ‘ଗୁଜବ’ ବୋଲି କହି ଏଡ଼ାଇ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୁରେଶ ଗୋପୀ ଲେଖିଛନ୍ତି ଯେ କେତେକେ ଗଣମାଧ୍ୟମରେ ଭୁଲ ଖବର ପ୍ରସାରିତ ହେଉଛି। ସେ ମୋଦୀ ସରକାରଙ୍କ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଉନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ସେମାନେ କେରଳର ବିକାଶ ଓ ଉନ୍ନତି ପାଇଁ ପ୍ରତିବଦ୍ଧ ଅଟନ୍ତି। ଶପଥ ଗ୍ରହଣ କରିବା ପରେ ଦିଲ୍ଲୀରେ ଏକ ଆଞ୍ଚଳିକ ନ୍ୟୁଜ୍ ଚାନେଲ୍କୁ ଦେଇଥିବା ସାକ୍ଷାତ୍କାରରେ ସୁରେଶ ଗୋପୀ କହିଥିଲେ ଯେ ଏକ ସାଂସଦ ଭାବେ କାର୍ଯ୍ୟ କରିବା ତାଙ୍କର ଲକ୍ଷ୍ୟ। ସେ ଅଧିକ କିଛି ମାଗି ନାହାନ୍ତି। ସେ ପୂର୍ବରୁ କହିଥିଲେ ଯେ ତାଙ୍କୁ କୌଣସି ପଦବି ଆବଶ୍ୟକ ନାହିଁ। ସେ ଅନୁଭବ କରୁଛନ୍ତି, ଖୁବ୍ ଶୀଘ୍ର ତାଙ୍କୁ ସେହି ପଦବିରୁ ମୁକ୍ତି ଦିଆଯିବ। ଏଥିନିମନ୍ତେ ତ୍ରିଶୁର ଭୋଟରଙ୍କ କୌଣସି ସମସ୍ୟା ନାହିଁ। ସେମାନେ ଜାଣିଛନ୍ତି ଯେ ସେ ସାଂସଦ ଭାବେ ଭଲ କାମ କରିପାରିବେ। ଏହାସହ ସେ କୌଣସି ପରିସ୍ଥିତିରେ ମଧ୍ୟ ପ୍ରତିଶ୍ରୁତି ମୁତାବକ ଚଳଚ୍ଚିତ୍ରଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବେ। ଏହି ମନ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମ ଓ କେତେକ ନ୍ୟୁଜ୍ ଚାନେଲ୍ରେ ସୁରେଶ ନିଜର ମନ୍ତ୍ରିପଦ ଛାଡ଼ିବା ନେଇ ଚର୍ଚ୍ଚା ହୋଇଥିଲା। ସୂଚନାଯୋଗ୍ୟ, ପ୍ରଥମ ବିଜେପି ସାଂସଦ ଭାବେ ଜଣାଶୁଣା ଅଭିନେତା ସୁରେଶ ଗୋପୀ କେରଳର ତ୍ରିଶୁରରୁ ୭୪ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ଜିତିବା ପରେ ବିଜେପି ନିମନ୍ତେ ଉଭୟ କେରଳ ଓ ତାମିଲନାଡ଼ୁରେ କାମ କରିବେ ବୋଲି ନିଜର ଇଚ୍ଛା ପ୍ରକଟ କରିଥିଲେ। ଏହି ବିଜୟକୁ ସ୍ବୀକୃତି ଦେଇ ପ୍ରଧାନମନ୍ତ୍ରୀ ମୋଦୀ ସୁରେଶଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ।