Monday, February 24, 2025
Home current ଅଘୋଷିତ ବିଦ୍ୟୁତ୍‌ କାଟ୍‌, ସଞ୍ଜ ନଇଁଲେ ଲୋକଙ୍କୁ କ୍ୟାଣ୍ଡେଲ ଭରସା

ଅଘୋଷିତ ବିଦ୍ୟୁତ୍‌ କାଟ୍‌, ସଞ୍ଜ ନଇଁଲେ ଲୋକଙ୍କୁ କ୍ୟାଣ୍ଡେଲ ଭରସା

by
0 comment

ଦାରିଙ୍ଗବାଡ଼ି,୮ା୬(ଅରୁଣ ସାହୁ): ଗୋଟିଏ ପଟେ ପ୍ରଚଣ୍ଡ ଖରା ସହ ଗରମ ଗୁଳୁଗୁଳି ଅନ୍ୟପଟେ ମଧ୍ୟାହ୍ନରେ ଆରମ୍ଭ ହୋଇଯାଉଛି କାଳବୈଶାଖୀର ତାଣ୍ଡବ। ଅନ୍ୟପଟେ ଦାଉ ସାଧୁଛି ଘନଘନ ବିଦ୍ୟୁତ୍‌ କାଟ୍‌। ଏଭଳି ଘଟଣା ଘଟୁଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ। କିଛିଦିନ ହେଲା ଏଭଳି ପରିସ୍ଥିତି ଜାରି ରହିଥିବା ବେଳେ ଅଞ୍ଚଳରେ ଲୋକ ଅନ୍ଧାରରେ ରହୁଛନ୍ତି। ସାଧାରଣ ବଣ୍ଟନରେ କିରୋସିନ ମିଳୁ ନ ଥିବା ବେଳେ ସବୁଠି କ୍ୟାଣ୍ଡେଲ ଏବେ ସମସ୍ତଙ୍କ ଭରସା ପାଲଟିଛି। ଦିନରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଯୋଗୁ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହୋଇ ସନ୍ଧ୍ୟା ହେଲେ ବିଦ୍ୟୁତ୍‌କାଟ୍‌ ଯୋଗୁ ପିଲାଙ୍କ ପାଠପଢ଼ା ହେଉ କି ବ୍ୟବସାୟୀଙ୍କୁ ଦୋକାନରେ ବ୍ୟବସାୟ କରିବା ହେଉ ବଡ଼ ସମସ୍ୟା ଦେଖାଯାଇଛି। ତେଣୁ ଏହି ସମୟରେ ଏକମାତ୍ର ଭରସା କ୍ୟାଣ୍ଡେଲ। ଏହି ପରିସ୍ଥିତିରେ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ପଞ୍ଚାୟତରେ କିରୋସିନ ଗଚ୍ଛିତ ରଖିବା ଆବଶ୍ୟକତା ରହିଥିବା ବେଳେ ବିଭାଗ ଏହା କରୁ ନ ଥିବା ଜଣାପଡ଼ିଛି। ଫଳରେ କୌଣସି ଜନସାଧାରଣଙ୍କ ନିକଟରେ କିରୋସିନ ନ ଥିବା ଜଣାପଡ଼ିଛି।

ଏନେଇ ଯୋଗାଣ ନିରୀକ୍ଷକ ନିହାର ରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ ୩ ମାସ ପାଇଁ କିରୋସିନ କିଣାଯାଇଛି। ଖୁବ୍‌ଶୀଘ୍ର ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ବିଦ୍ୟୁତ୍‌ ନିୟମିତ ଅଚଳ ଓ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ସମ୍ପର୍କରେ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକ କହିଛନ୍ତି, ୩୩ କେଭି ବିଦ୍ୟୁତ ସଂଯୋଗ ଗୋଟିଏ ଜି. ଉଦୟଗିରିରୁ ଦାରିଙ୍ଗବାଡି ଓ ଅନ୍ୟ ଏକ ଫିରିଙ୍ଗିଆରୁ ସଂଯୋଗ ଆସିଛି। ତେବେ ଅନେକ ସମୟରେ କାଳବୈଶାଖୀ ପାଇଁ ବିଦ୍ୟୁତ୍‌ ସମସ୍ୟା ହେଉଥିବା ସେ କହିଛନ୍ତି। ଏଥିପାଇଁ ବିଭାଗୀୟ କର୍ମଚାରୀ ବିଭିନ୍ନ ସ୍ଥାନରେ ଦଳଦଳ ହୋଇ ମରାମତି କାର୍ଯ୍ୟ କରୁଥିବା ସେ କହିଛନ୍ତି। ନିୟମିତ ବିଦ୍ୟୁତ୍‌ ବିଭ୍ରାଟକୁ ଦେଖି ସିମନବାଡ଼ି ପଞ୍ଚାୟତ ସମେତ କିରିକୁଟି, ଟିଲୋରୀ, ବୁଡ଼ାଗୁଡା ଆଦି ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od