Saturday, February 22, 2025
Saturday, February 22, 2025
Home ଆମ ଓଡ଼ିଶା ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ସଂକ୍ରାନ୍ତୀୟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ

ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ସଂକ୍ରାନ୍ତୀୟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ

by
0 comment

ଭୁବନେଶ୍ୱର: ଦେଶରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁହେବା ପରଠାରୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିକଟକୁ ଏହାର ଉଲ୍ଲଙ୍ଘନ ସଂକ୍ରାନ୍ତୀୟ ଅନେକ ଆପତ୍ତି ଅଭିଯୋଗ ଆସିଛି । ଏହି ସମସ୍ତ ଅଭିଯୋଗଗୁଡ଼ିକ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଧି ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।
ଦେଶରେ ସାଧାରଣ ନିର୍ବାଚନ-୨୦୨୪ ପାଇଁ ୨୦୨୪ ମାର୍ଚ୍ଚ ୧୬ ତାରିଖରୁ ହିଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ।

ଓଡ଼ିଶାରେ ଲୋକସଭା ଓ ବିଧାନସଭା ଉଭୟ ନିର୍ବାଚନ ପାଇଁ ଉକ୍ତ ଦିନରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଆଦର୍ଶ ଆଚରଣ ବିଧି ସମୟରେ ରାଜନୈତିକ ଦଳମାନଙ୍କ ଆଚରଣ, ରାଜନୈତିକ ସଭା, ର୍ୟାଲି, ନିର୍ବାଚନୀ ଇସ୍ତାହାର (ମ୍ୟାନିଫେଷ୍ଟୋ), ମତଦାନ ଦିବସ, ମତଦାନ କେନ୍ଦ୍ର, କ୍ଷମତାସୀନ ଦଳଙ୍କ କାର୍ଯ୍ୟକଳାପ ଆଦି ବିଷୟରେ ବ୍ୟବହାର ନିର୍ଦ୍ଦିଷ୍ଟ କରାଯାଇଛି ।

କୌଣସି ସ୍ତର ଓ ବ୍ୟକ୍ତିଙ୍କ ଦ୍ୱାରା ଏହାର ଉଲ୍ଲଙ୍ଘନ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ବିଭିନ୍ନ ରାଜନୈତିକ ଦଳ ଓ ଜନସାଧାରଣଙ୍କ ତରଫରୁ ଅଭିଯୋଗ କରାଯାଉଛି । କିଛି କ୍ଷେତ୍ରରେ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏହି ସଂକ୍ରାନ୍ତୀୟ ଅନେକ ପ୍ରସ୍ତାବ ଆସିଛି ।

୨୦୨୪ ମାର୍ଚ୍ଚ ୧୬ ତାରିଖରୁ ମଇ ୨ ତାରିଖ ମଧ୍ୟରେ ସର୍ବମୋଟ ୫୪୮ଟି ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତଗତ ହୋଇଛି । ଏହା ମଧ୍ୟରୁ ୪୪୯ଟି ଅଭିଯୋଗ ଉପରେ ବିଧି ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି । ଅବଶିଷ୍ଟ ୯୯ଟି ଅଭିଯୋଗର ମଧ୍ୟ ସମୀକ୍ଷା ଚାଲିଛି ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

ରାଜ୍ୟରେ ଆଦର୍ଶ ଆଚରଣ ବିଧି ଅନୁପାଳନ ସହ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରାଥମିକତା ରହିଛି ବୋଲି ଶ୍ରୀ ଧଳ ମତପ୍ରକାଶ କରିଛନ୍ତି। ଏହି ବିଧିର ଉଲ୍ଲଂଘନ ପ୍ରତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଶୂନ୍ୟ ସହନଶୀଳତା ରହିଛି ବୋଲି ସେ କହିଛନ୍ତି। ସ୍ୱଚ୍ଛ, ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶୃଙ୍ଖଳାଯୁକ୍ତ ନର୍ବାଚନ ପ୍ରକ୍ରିୟା ହେଉଛି ଭାରତୀୟ ଗଣତନ୍ତ୍ରର ଶକ୍ତି ଓ ଗୌରବ । ସେଥି ପାଇଁ ନିର୍ବାଚନ ହେଉଛି ଆମର ଜାତୀୟ ମହୋତ୍ସବ । ମତଦାନ ଦ୍ୱାରା ସମସ୍ତେ ଏହି ମହୋତ୍ସବରେ ସାମିଲ ହେବା ଉଚିତ ବୋଲି ଶ୍ରୀ ଧଳ ମତପ୍ରକାଶ କରିଛନ୍ତି।

ଏହା ବ୍ୟତିରେକ ସି-ଭିଜିଲ୍‌ ମୋବାଇଲ୍‌ ଆପ୍ଲିକେସନ୍‌ ମାଧ୍ୟମରେ ମଧ୍ୟ ଜନସାଧାରଣ ବହୁସଂଖ୍ୟକ ଅଭିଯୋଗ ଆଣୁଛନ୍ତି ଓ ଶୀଘ୍ର ସେସବୁର ସମାଧାନ ମଧ୍ୟ କରାଯାଉଛି। ଏଭଳି ପଦକ୍ଷେପଗୁଡ଼ିକ ଦ୍ୱାରା ଏକ ଶୃଙ୍ଖଳାପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା କରାଯାଉଛି ବୋଲି କହିବା ସହ ସମସ୍ତ ମତଦାତା ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od