ନୂଆଦିଲ୍ଲୀ: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରୀ ଅଧିକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୪ ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ କଲକାତା ହାଇକୋର୍ଟ ରଦ୍ଦ କରିବା ପରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସିବିଆଇ (ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍) ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ବିରୋଧରେ ଅଧିକ ତଦନ୍ତ କରିବ ବୋଲି ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହା ଉପରେ ଆମେ ରୋକ୍ ଲଗାଇବୁ।
ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଡବ୍ଲୁବିଏସସିସି) ଦ୍ୱାରା ଗଠିତ ସ୍କୁଲ ଶିକ୍ଷକମାନଙ୍କ ପାଇଁ ୨୦୧୬ର ନିଯୁକ୍ତି ପ୍ୟାନେଲକୁ ଏପ୍ରିଲ ୨୬ରେ ହାଇକୋର୍ଟ ବାତିଲ କରିଥିଲେ। ଖଣ୍ଡପୀଠ ସିବିଆଇକୁ ଏହି ମାମଲାର ଅଧିକ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମମତା ସରକାର ଅଭିଯୋଗ କରିଛନ୍ତି ଯେ ମୌଖିକ ଯୁକ୍ତି ଆଧାରରେ ଏବଂ ରେକର୍ଡରେ କୌଣସି ସତ୍ୟପାଠ ନଥିବାରୁ ହାଇକୋର୍ଟ ସରକାରଙ୍କୁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ପର୍ଯ୍ୟାପ୍ତ ସମୟ ନ ଦେଇ ମନଇଚ୍ଛା ନିଯୁକ୍ତି ତଥା ସମଗ୍ର ଚୟନ ପ୍ରକ୍ରିୟାକୁ ବାତିଲ କରିଛନ୍ତି।
ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୫ ଦିନ ମଧ୍ୟରେ ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ହାଇକୋର୍ଟ ଡବ୍ଲୁବିଏସଏସସିକୁ କହିଥିଲେ। ସରକାର ଏହାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ।
ସେହିପରି ନିଯୁକ୍ତି ପ୍ରବେଶିକା ପରୀକ୍ଷାର ୨୩ ଲକ୍ଷ ଓଏମଆର ସିଟ୍ (ପରୀକ୍ଷା ପତ୍ର)ର ପୁନଃ ମୂଲ୍ୟାୟନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଆସନ୍ତା ୬ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।
ସିବିଆଇ ରାଜ୍ୟର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଡବ୍ଲୁବିଏସଏସସିରେ ପଦବୀରେ ଥିବା କିଛି କର୍ମକର୍ତ୍ତାଙ୍କୁ ଗିରଫ କରିଛି।