ଭୁବନେଶ୍ଵର: ଆଜି ଓଡିଶା ଗସ୍ତରେ ଆସି ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସମାବେଶରେ ଯୋଗ ଦେଇ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ ନଡ୍ଡା । ନିଜ ଅଭିଭାଷଣରେ ସେ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି । ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରି ନାହାନ୍ତି ବୋଲି କହିବା ସହ ସରକାର ବଦଳାଇବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି ଜେପି ନଡ୍ଡା । ସେ କହିଛନ୍ତି କି ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ବିପକ୍ଷ ସରକାର ଥିବା ସତ୍ତ୍ୱେ ମୋଦୀ ସର୍ବାଧିକ ଅନୁଦାନ ଓଡ଼ିଶାକୁ ଦେଇଥିବା ମଧ୍ୟ ସେ କହିଛନ୍ତି ।
ଆମ୍ବପୁଆରେ ଆୟୋଜିତ ଦଳର ସଙ୍କଳ୍ପ ସମାବେଶରେ ଯୋଗ ଦେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି କି ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରି ନାହାନ୍ତି । ଓଡ଼ିଶା ଲୋକେ ଏହି ସୁବିଧାରୁ ବଞ୍ଚିତ ରହିଛନ୍ତି । ସରକାରକୁ ବଦଳାଇବାକୁ ଆହ୍ବାନ ଦେଇଛନ୍ତି ନଡ୍ଡା । ଏହା ସହ ସେ ମୋଦୀ ସରକାରଙ୍କ ଆଦର୍ଶ ଶାସନର ଗାଥା ବଖାଣିଛନ୍ତି । ୧୦ ବର୍ଷେ ପୂର୍ବେ ଭାରତର ଅବସ୍ଥା ସହ ବର୍ତ୍ତମାନର ଦେଶର ଅବସ୍ଥା ତୁଳନା କରି ସବୁ ଶ୍ରେୟ ମୋଦୀ ସରକାରଙ୍କୁ ଦେଇଛନ୍ତି । କିଛି ବଦଳିବ ନାହିଁ ବୋଲି ଯେବେ ସମସ୍ତେ ଭାବୁଥିଲେ ମୋଦୀ ବଦଳାଇ ଦେଖାଇଦେଲେ । ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶ ବଦଳିଯାଇଛି । ବିକଶିତ ପଥରେ ଦେଶ ଆଗେଇ ଚାଲିଛି । ଏକାଦଶ ଅର୍ଥ ବ୍ୟବସ୍ଥାରୁ ଭାରତ ଏବେ ପଞ୍ଚମ ସ୍ଥାନରେ ପହଞ୍ଚିଛି । ୨ ବର୍ଷ ଭିତରେ ଭାରତ ତୃତୀୟ ବଡ ଆର୍ଥିକ ଶକ୍ତି ହେବ ବୋଲି ନଡ୍ଡା କହିଛନ୍ତି । ମୋଦୀ ଭାରତର ରାଜନୀତିକୁ ବିକାଶବାଦ ସହ ଯୋଡିଛନ୍ତି । ଏବେ ଓଡିଶାକୁ ମଧ୍ୟ ବିକାଶ ପଥରେ ଆଗେଇ ନେବାର ସଠିକ୍ ସମୟ ଆସିଛି ବୋଲି ନଡ୍ଡା କହିଛନ୍ତି ।